ଗତକାଲି ୨୦/୦୪/୨୫ ଅନୁଗୁଳରେ ଖୁବ୍ ଖରା ଥିଲା।
ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀ (ବାପି) ଓ ମାନନୀୟା ମାଳତୀ ଚୌଧୁରୀ(ନୁମା)ଙ୍କ ପ୍ରତିଷ୍ଠିତ “ବାଜି ରାଉତ” ଛାତ୍ରାବାସର ଥିଲା ୭୯ତମ ବାର୍ଷିକ ଉତ୍ସବ।
ସଭା ସରିଲା। ଭଙ୍ଗା ଦଦରା ବାପି-ନୁମାଙ୍କ କୁଟୀରରେ ସାଦା ବେଡ୍ସିଟ୍ ପକା ଦିଇଟା ଛୋଟ ପଟା ଖଟ। ବସିପଡ଼ିଲି। ସେଠିକି ଏତେ ଶୀତଳତା କୋଉଠୁ ଆସିଲା କେଜାଣି!
ବିଶ୍ବାସ ହବନାହିଁ ଯେ ୬ବର୍ଷରୁ ଅଧିକ ମୁଖ୍ୟମନ୍ତ୍ରୀ ଥିବା ଜଣେ ବ୍ୟକ୍ତି ଅବସର ନେଇ ସେଇଠି ଏମିତି ରହୁଥିଲେ।
ଥରେ ନୀଲମ୍ ସଞ୍ଜୀବ ରେଡ୍ଡି ରାଷ୍ଟ୍ରପତି ଥିବାବେଳେ ଓଡ଼ିଶା ଗସ୍ତରେ ଆସିବାର ହେଲା। ସେ ମନ କଲେ ବାପିଙ୍କୁ ଭେଟିବେ। ଜିଲ୍ଲାପାଳ ସେଠା ଆସବାବପତ୍ର, ପରିବେଶ ଚକ୍ଚାକ୍ କରିବାକୁ ଧାଇଁଲେ।
ବିଗିଡ଼ିଗଲେ ବାପି।
ସଞ୍ଜୀବ ଜୀ ମୋର ବଂଧୁ। ମୁଁ ଯେମିତି ଅଛି ସେଇଭଳି ସବୁ ଥାଇ ତାଙ୍କୁ ସଙ୍ଖୋଳିବାରେ ଅସୁବିଧା କେଉଁଠି? ନୀଳମଣି ରାଉତରାୟ ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ସଭିଏଁ ଚୁପ୍।
ରାଷ୍ଟ୍ରପତି ଜୀ ଆସିଲେ।
ସେଇ ଖଟରେ ବସିଲେ। ବାପି,ନୁମା,ନୀଳମଣି ରାଉତରାୟ ,ସଞ୍ଜୀବ ଜୀ, ସେତେବେଳକା ଓଡ଼ିଶା ରାଜ୍ୟପାଳ ଭଗବତ ଦୟାଲ ଶର୍ମା ଜୀ ସଭିଏଁ ସେଇଠି ଗୁଞ୍ଜିଗାଞ୍ଜି। ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଠିଆହୋଇ ରହିଲେ। ଫଟୋ ଉଠିଲା।
ଶିଖିବାର କଥା।
ମଣିଷଟା ମଣିଷ। ଯେଉଁଠି ବସିଲେ ବି ତା’ ପଦ ପଳାଇ ଯାଏନି।
ଏବେ ଦିଲ୍ଲୀ ଗଲେ ଆସିଲେ ଅନେକେ ରାଜଘାଟ ଯାଇ ଗାନ୍ଧୀଜୀଙ୍କ-ସମାଧିରେ ଫୁଲ ଚଢ଼ାନ୍ତି।
ମୋର ମନ ଯିଏ ବି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ରାଜଭବନରେ ଶପଥ ନେବା ପରେ ଆଗ ଯାଇ ବାପି-ନୁମାଙ୍କ ସମାଧିରେ ଫୁଲ ଚଢ଼ାଇବା ଦରକାର।
ସମୂହ ଓ ସାଧାରଣ ଅନୁଭବର ଶୀତଳତାରୁ ସୋରାଏ ତ ମିଳିବ!!!