ମେ୧୬ରୁ ୨୨
ମିଶନ୍ ରୋଡ଼୍, କଟକସ୍ଥିତ ଭଞ୍ଜମଣ୍ଡପରେ ଭଞ୍ଜଜୟନ୍ତୀ ଉତ୍ସବ।
କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜ ଦ୍ବାରା ଆୟୋଜିତ ଏ ସମାରୋହର ୮୨ତମ ସାମ୍ବତ୍ସରିକ ନିବେଦନ।
ପ୍ରତି ସଂଜେ ଭଞ୍ଜ ସାହିତ୍ୟରେ ଅସ୍ମିତା, ଶବ୍ଦବୈଭବ, ପ୍ରେମ, ରସ, ପ୍ରକୃତି ତଥା ଆଧ୍ୟାତ୍ମିକତାକୁ ନେଇ କ୍ରମାନ୍ୱୟରେ ଆଲୋଚନା।
୧୯୪୪ର ଦ୍ବିତୀୟ ବିଶ୍ବଯୁଦ୍ଧକାଳୀନ ଦୁଃସ୍ଥିତି ଭିତରେ ଗୁରୁ ବିଚ୍ଛନ୍ଦଚରଣ ପଟ୍ଟନାୟକ ଖୋଜିଥିଲେ ଓଡ଼ିଆମାନଙ୍କ ଭାଷା ସାହିତ୍ୟରେ ସ୍ୱାଭିମାନର କଥା।
ସାରା ଓଡ଼ିଶାରେ ଜଣେ। ନିଜେ ଅଖଞ୍ଜ। ଦେଶ ସୁଦ୍ଧା ସ୍ବାଧୀନ ହୋଇନଥିଲା।
କିଛି ସମର୍ଥ ଛାତ୍ରଙ୍କୁ ସଂଗଠିତ କରି ଗଢ଼ିଥିଲେ ଉପରୋକ୍ତ ଦୁଇ ସଂଗଠନ। ଉତ୍କଳ ଓ କଳିଙ୍ଗ ଭାବନାକୁ ଏକୀଭୂତ କରିଥିଲେ। ପ୍ରାଚୀ ସମିତି ତିଆରିଥିଲେ।
ଓଡ଼ିଆ ଭାଷା ସାହିତ୍ୟକୁ ସଂସ୍କୃତ ସାହିତ୍ୟର ସମତୁଲ କରି ଅନବଦ୍ୟ ନନ୍ଦନବୋଧ ମାଧ୍ୟମରେ ଉପେନ୍ଦ୍ର ଭଞ୍ଜଙ୍କ ଛଡ଼ା ଆଉ କିଏ ଏମିତି ଶିଖର ଚଢ଼ିଛି? ବିଚ୍ଛନ୍ଦଚରଣ ତା’ଙ୍କୁ କବି ସମ୍ରାଟ ଭାବେ ସ୍ବୀକାର କରିଛନ୍ତି। ୧୯୬୧ ପର୍ଯ୍ୟନ୍ତ ନିଜେ ଥିବାଯାଏ ଓଡ଼ିଆଭାଷା ଓ ଭଞ୍ଜସାହିତ୍ୟର ବିଜୟ ବୈଜୟନ୍ତୀ ଉଡ଼ାଇଛନ୍ତି ଅଗଣିତ ଶିଷ୍ୟଙ୍କୁ ଧରି।
ସେ ଧାରା ଏବେ ବି ଅବାରିତ।
ଓଡ଼ିଆମାନେ ଏବେ ଏବେ ଅସ୍ମିତା କଥା କହୁଛନ୍ତି। ଅସ୍ମିତା ଅଛି ଭାଷା ସାହିତ୍ୟରେ। ଉପେନ୍ଦ୍ରୀୟ ଧାରାକୁ ଓ ତା’ ସହ ଯୋଡ଼ା ସମାଜତାତ୍ତ୍ବିକ ବୈଚିତ୍ର୍ୟକୁ ବୁଝିବାରେ, ଓଡ଼ିଶାକୁ ପାଇବାରେ।
ନ ବୁଝିଲେ,ନ ପାଇଲେ କ୍ଷତି ନା ଉପେନ୍ଦ୍ର ଭଞ୍ଜଙ୍କର ନା ବିଚ୍ଛନ୍ଦଚରଣଙ୍କର।
ଓଡ଼ିଆ ସ୍ୱାଭିମାନ ଜାଗରିତ ରହୁ। ଭାଷା ସଂସ୍କୃତି ସୁବର୍ଣ୍ଣମୟୀ ହେଉ।
ଜୟ ମା’ କଳିଙ୍ଗଭାରତୀ।