ଲକ୍ଷ୍ନୌ ଓଡ଼ିଆ ସମାଜ

୧ ଏପ୍ରିଲ୍‌, ଲକ୍ଷ୍ନୌ। ମଙ୍ଗଳବାର।
କୃତଜ୍ଞ କଲା “ଲକ୍ଷ୍ନୌ ଓଡ଼ିଆ ସମାଜ”, କୃତାର୍ଥ କଲା।
“ଲକ୍ଷ୍ନୌ ଓଡ଼ିଆ ସମାଜ ସାହିତ୍ୟ ସମ୍ମାନ, ୨୦୨୫”ରେ ସମ୍ମାନିତ କଲା।
ମାନପତ୍ର, ପଚିଶ ହଜାର ଅର୍ଥରାଶି ଓ ଚଦର ସହ ଭବ୍ୟ ଆତିଥ୍ୟ ବି ଦେଲା।
ସକାଳେ ରାଜଭବନରେ ସଭା ଆୟୋଜନ ହୋଇ ଓଡ଼ିଶା ଦିବସ ପାଳିତ ହେଲା। ସଭାଘରକୁ ପଶିଲା ବେଳକୁ ଲେଖାଥିଲା – ଉତ୍କଳ ଦିବସ ଉତ୍ସବ।
ଡାଲଖାଇ, ରଙ୍ଗବତୀ ଓ ଅନ୍ୟାନ୍ୟ ଗୀତରେ ଦୁଲୁକିଲା ଦୁଇଶହ ବର୍ଷର ପୁରୁଣା ରାଜଭବନ ପ୍ରାସାଦ। ସଞ୍ଜକୁ ସନ୍ଥ ଗାଡ୍ଗେ ପ୍ରେକ୍ଷାଗୃହ, ଗୋମତୀ ନଗରରେ ହେଲା ସଭା, ସମ୍ବର୍ଦ୍ଧନା, ସମ୍ମାନ ଓ ପୁରସ୍କାର ପ୍ରଦାନ। ପତ୍ରିକା “ନିର୍ମାଲ୍ୟ” ଉନ୍ମୋଚିତ ହେଲା।
ଷାଠିଏ ଭାଗ ଶ୍ରୋତୃମଣ୍ଡଳୀ ଅନ୍ୟ ଭାଷାଭାଷୀ।
ଖୁସୀ ଖୁସୀ ବାତାବରଣ। ମନୋରଞ୍ଜନ ପାଇଁ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସାରା ଓଡ଼ିଶାକୁ ସତେ ଯେମିତି ବିଛେଇଦେଲା ସମସ୍ତଙ୍କ ରସାଳ ହୃଦୟରେ।
ଆହେ ନୀଳଶଇଳ ଆଧାରିତ ଓଡ଼ିଶୀ ନୃତ୍ୟ ଏତେ ବିଭୋର କରିଦେଲା ଯେ ସଭିଏଁ ଠିଆ ହୋଇ ଘନଘନ କରତାଳି ସହ କୃତଜ୍ଞତା ଜଣାଇଲେ ନୃତ୍ୟପଟ୍ଟିୟସୀ ମୀରା ଦାସଙ୍କ ଦଳକୁ।
ପରିଶେଷରେ ଖୋଲା ଆକାଶ ତଳେ ଓଡ଼ିଆ ବ୍ୟଞ୍ଜନ ଉତ୍ସବ ପାଳିତ ହେଲା। ଖିଆପିଆ ଚାଲିଲା।
“ଲକ୍ଷ୍ନୌ ଓଡ଼ିଆ ସମାଜ” ଗୋଟେ ସୁଖପାଠ୍ୟ ପୁସ୍ତକ। ପୃଷ୍ଠାବହୁଳ। ଅନ୍ତରଙ୍ଗ ଗପ ଗୀତରେ ଭରା। ମଲାଟ ଆକର୍ଷଣୀୟ, ଭିତରର ଛବି ବି ଖୁବ୍‌ ସୁନ୍ଦର।
ଆପଣ କିଣିପାରିବେ।
ମୂଲ୍ୟ: ଝୁଡ଼ିଏ ଭଲପାଇବା।
ବହିଦୋକାନଟି ଯୌଥ ମାଲିକାନାରେ ଚାଲିଛି। ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ପଟ୍ଟନାୟକ।
ସମସ୍ତଙ୍କୁ ଶୁଭେଚ୍ଛା ଓ ନମସ୍କାର।
ବନ୍ଦେ ଉତ୍କଳ ଜନନୀ।

Leave a Comment

Your email address will not be published. Required fields are marked *

Scroll to Top