୧୪/୦୪/୨୫
ଓଡ଼ିଆ ନବବର୍ଷ। ଅପରାହ୍ଣ।
ପ୍ରଥମଥର ପାଇଁ ଓଡ଼ିଶା ରାଜଭବନରେ ପାଳିତ ହେଲା ଓଡ଼ିଆ ନବବର୍ଷ। ସ୍ଥାନଟି ଥିଲା ନୂଆହୋଇ ଗଢ଼ାହୋଇଥିବା ଅଭିଷେକ ହଲ୍।
ଏହା ସହିତ ହିମାଚଳ ପ୍ରଦେଶର ୭୮ତମ ପ୍ରତିଷ୍ଠା ଦିବସ ବି ପାଳିତ ହେଲା।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏବେ ଭାରତର ସମସ୍ତ ରାଜଭବନରେ ବିଭିନ୍ନ ରାଜ୍ୟର ପ୍ରତିଷ୍ଠା ଦିବସ ପାଳିତ ହେଉଛି। ପ୍ରଦେଶରେ ଥିବା ଉକ୍ତ ରାଜ୍ୟର ଅଧିବାସୀଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ଲୋକସଂସ୍କୃତିର ପ୍ରଦର୍ଶନ ହେଉଛି। ଭାରତୀୟ ସାଂସ୍କୃତିକ ବିଭିନ୍ନତାକୁ ମାନ୍ୟତା ଦେଇ ଗୋଟିଗୋଟି ଯୋଡ଼ାଯାଉଛି।
ଏକରେ ଅନେକ, ଅନେକରେ ଏକ।
ଚମତ୍କାର।
ମହାମହିମ ଓଡ଼ିଶାର ମାନନୀୟ ରାଜ୍ୟପାଳ ନିଜ ସରକାରୀ ବାସଭବନରେ ଓଡ଼ିଆ ନବବର୍ଷ ପାଳନ କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବର କଥା।
ବସନ୍ତର ଶେଷ, ଗ୍ରୀଷ୍ମର ଆରମ୍ଭ, ସୂର୍ଯ୍ୟଦେବଙ୍କର ମେଷରାଶିକୁ ପ୍ରବେଶ ସଙ୍ଗକୁ ହନୁମାନ ଜୟନ୍ତୀର ଏ ପାବନବେଳା କୃଷିଭିତ୍ତିକ ଓଡ଼ିଶା ପାଇଁ ଫି ସନ ଆଣିଦିଏ ଏକ ନୂଆ ସମ୍ବତ୍ସର। ଗୋଟାଏ ନୂଆ ଆରମ୍ଭର ଜନ୍ମଦିନ। ତୁଳସୀ ଚଉରା ଉପରେ ଛାମୁଣ୍ଡିଆ କରି ଘଡ଼ି ଝୁଲାଇ ଏ ବୁନ୍ଦା-ଜଳସେଚନ ଯେମିତି ବୃକ୍ଷଜଗତ ପାଇଁ ସୁରକ୍ଷାର ପ୍ରତୀକ ସେମିତି ଏ ପଣାଉତ୍ସବ ଆଗାମୀ ଗ୍ରୀଷ୍ମଦାହରୁ ମଣିଷଙ୍କୁ ରକ୍ଷା କରିବା ଲାଗି ଏକ ପ୍ରତୀକାତ୍ମକ ପରମ୍ପରା।
ଆଜି ନୁହେଁ କେଉଁ ପ୍ରାଚୀନ କାଳରୁ ଓଡ଼ିଆର ଜ୍ଯୋତିଷଶାସ୍ତ୍ରଜ୍ଞାନ ତାକୁ ଗ୍ରହ ନକ୍ଷତ୍ର ଗଣନାରେ ପରିଚିତ କରାଇଛି। ସେ ଜାଣେ ଏ ଦିବସରେ ରାତି ଦିନ ସମାନ। ସୂର୍ଯ୍ୟ ବିଷୁବ ରେଖା ଉପରେ। ଏ ଦିନ ଆଲୁଅ ଯେତିକି ଅନ୍ଧାର ସେତିକି। ନୂଆବର୍ଷ, ନବୋନ୍ମେଷ ଲାଗି ପବିତ୍ରତମ ଅବସର।
ଅଶେଷ କୃତଜ୍ଞତା ମହାମହିମ।
ଜୟ ମା’ ଓଡ଼ିଶା।
ବନ୍ଦେ ଉତ୍କଳ ଜନନୀ।